Unknown

 

 

 

 

 

 

 

 

 

 

 

ଗଙ୍ଗାଧରଙ୍କ ଗଦ୍ୟାବଳୀ

ଗଙ୍ଗାଧର ମେହେର

 

ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ

(୧୯୦୦) (ଜାନୁଆରୀ, ୧୯୦୦ ଉତ୍କଳ ସାହିତ୍ୟ)

 

ପୃଥିବୀରେ ତିନିଶ୍ରେଣୀର ମନୁଷ୍ୟ ଦେଖାଯାନ୍ତି– ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ । ଶିକ୍ଷିତ ବ୍ୟକ୍ତି ମନୁଷ୍ୟପଦବାଚ୍ୟ । ଶିକ୍ଷିତ ବ୍ୟକ୍ତି ସତ୍‌କର୍ମରେ ନିରତ ଥାଇ ସତ୍‌ସଙ୍ଗରେ ଓ ସଦାଳାପରେ ପବିତ୍ର ଭାବରେ ଜୀବନଯାତ୍ରା ନିର୍ବାହ କରନ୍ତି; ଅତୀତକାଳର ଘଟନାବଳୀ, ଦେଶବିଦେଶର ରୀତିନୀତି ଓ ଜଗତର ନିୟମମାନ ଅବଗତ ହୋଇ ସ୍ୱଦେଶ ସହିତ ଜଗତର ଉନ୍ନତି ଚେଷ୍ଟାରେ ସତତ ଚିନ୍ତିତ ଥା'ନ୍ତି । ତାଙ୍କ ଚକ୍ଷୁରେ ପୁଣ୍ୟପଥର ଆପାତ କଷ୍ଟଦାୟକ ଦୂରତ୍ୱ ଏବଂ ଦୂରସ୍ଥିତ ସୁରମ୍ୟ ସୋପାନବିଶିଷ୍ଟ ମନୋହର ସୁଖମନ୍ଦିର ଆଉ ପାପପଥର ନିକଟସ୍ଥ କୋମଳ ସୁଖଶଯ୍ୟା ଓ ତଦନ୍ତରାଳସ୍ଥ ଯନ୍ତ୍ରଣା କଣ୍ଟକପୂର୍ଣ୍ଣ ଦୁଃଖାରଣ୍ୟ ଦୃଶ୍ୟ ହେଉଥାଏ । ସେ ସ୍ଵର୍ଗୀୟ ବୀରମାନଙ୍କର ଥରେ ଭୟଙ୍କର ସଂହାରରୂପ, ଥରେ ଦୟାମଧୁର ମୋହନମୂର୍ତ୍ତି ସନ୍ଦର୍ଶନ କରି ବିସ୍ମୟ-ସମ୍ବଳିତ ଭକ୍ତିରସରେ ଅଭିଷିକ୍ତ ହେଉଥାନ୍ତି । ଭାରତୀଙ୍କର ବୀଣାଝଙ୍କାରମିଶ୍ରିତ ଅମିୟ ସଙ୍ଗୀତ ଶ୍ରବଣ କରି ଆତ୍ମାକୁ ପବିତ୍ର ଓ ହୃଦୟକୁ ଆନନ୍ଦପୂର୍ଣ୍ଣ କରୁଥାନ୍ତି । ମଙ୍ଗଳମୟ ପରମେଶ୍ଵରଙ୍କ ମଙ୍ଗଳାଭିପ୍ରାୟ ଓ ପ୍ରକୃତ ଧର୍ମତତ୍ତ୍ୱ ଅବଗତ ହୋଇ ପବିତ୍ର ଧର୍ମ ଅବଲମ୍ବନରେ ଜଗଦୀଶ୍ଵରଙ୍କ ପ୍ରସାଦ ଲାଭ କରି ପୁଲକିତ ହେଉଥାନ୍ତି । ତାହାଙ୍କ ହୃଦୟ ଶ୍ରଦ୍ଧା, ଭକ୍ତ, ଦୟା, କ୍ଷମାଦି ଦେବକନ୍ୟାଗଣର ବିହାରଭୂମି । ତାଙ୍କ ମତରେ ଶିକ୍ଷା ବିଦ୍ୟାଳୟରେ ଶେଷ ହୁଏ ନାହିଁ; ଶିକ୍ଷା ମନୁଷ୍ୟର ଜୀବନବ୍ୟାପୀ ମହାବ୍ରତ । ଜଗତ୍ ଶିକ୍ଷାଳୟ ଓ ପ୍ରକୃତି ନିତ୍ୟପଠନୀୟ ବିରାଟ ଗ୍ରନ୍ଥ । ପୃଥିବୀ ଅପେକ୍ଷା ଲକ୍ଷଗୁଣାଧିକ ଅଚିନ୍ତନୀୟ ବେଗଗାମୀ ଗ୍ରହାଦିଠାରୁ ବାଳଭାନୁକିରଣୋଦ୍ଭାସିତ ପରମାଣୁ ପର୍ଯ୍ୟନ୍ତ ଆଲୋଚନାର ବିଷୟ । ମାନବର ପୂର୍ଣ୍ଣ ପରମାୟୁ ବିଂଶାଧିକ ଶତବର୍ଷ ଶିକ୍ଷାର ପ୍ରତୁଳ ସମୟ ନୁହେଁ, ଆଜୀବନ ଯାହା କିଛି ଶିକ୍ଷା ଓ ଜ୍ଞାନଲାଭ ହୋଇପାରେ, ତହିଁରେହିଁ ଜୀବନର ସାର୍ଥକତା ସାଧନ କରିବା ମାନବର ପ୍ରଧାନ କର୍ତ୍ତବ୍ୟ । ସାହିତ୍ୟ-ସେବା ତାଙ୍କର ପ୍ରିୟ ବ୍ରତ ।

 

ସାହିତ୍ୟାନୁରାଗ ଈଶ୍ୱରଦତ୍ତ ପଦାର୍ଥ ଓ ଛାୟାତୁଲ୍ୟ ଜୀବନର ଚିରସହଚର । ସାହିତ୍ୟାନୁରାଗ ବୃତ୍ତୀଶ୍ୱରମାନଙ୍କର ଜୀବନରେ ବାଞ୍ଛନୀୟ; କିନ୍ତୁ ଜଗଦୀଶ୍ୱର ପାତ୍ରାପାତ୍ର ବିବେଚନା ନ କରି ବ୍ୟକ୍ତିବିଶେଷକୁ ତାହା ପ୍ରଦାନ କରିଥାନ୍ତି । ଶିକ୍ଷିତ ମଧ୍ୟରୁ ପ୍ରକୃତ ଜ୍ଞାନୀ ଅତି ଅଳ୍ପ । ଜ୍ଞାନୀ ଜ୍ଞାନକୁ କୋହିନୂର ଅପେକ୍ଷା ଅଧିକ ମୂଲ୍ୟବାନ୍ ବୋଧକରନ୍ତି । ସେ ଜ୍ଞାନାଲୋକରେ ଜଗତ୍ ଆଲୋକମୟ ଦେଖନ୍ତି । ଜଳଦାଚ୍ଛନ୍ନ ତମୋମୟୀ ରଜନୀର ଅସୂଚିଭେଦ୍ୟ ତିମିରରାଶି ତାଙ୍କର ଦୃଷ୍ଟି ରୋଧ କରିପାରେ ନାହିଁ; ବରଂ ବିଚିତ୍ର ବିଚିତ୍ର ଦୃଶ୍ୟ ତାଙ୍କ ସମକ୍ଷରେ ଉପସ୍ଥିତ କରି ଚିତ୍ତରଞ୍ଜନ କରେ । ଜ୍ଞାନୀ ଜ୍ଞାନରଥରେ ଆରୋହଣ କରି ନିମେଷ ମଧ୍ୟରେ ବ୍ରହ୍ମାଣ୍ଡ ପର୍ଯ୍ୟଟନରେ ସମର୍ଥ ହୁଅନ୍ତି । ତାଙ୍କ ହୃଦୟ ପର୍ବତତୁଲ୍ୟ ଉଚ୍ଚ, ସାଗରତୁଲ୍ୟ ପ୍ରଶସ୍ତ ଓ ଗଭୀର । ତହିଁରେ ବହୁମୂଲ୍ୟ ରତ୍ନରାଜି ପୂର୍ଣ୍ଣ ହୋଇଥାନ୍ତି । ସେହି ରତ୍ନନିଚୟ ଯେ ଯେତେ ସଂଗ୍ରହ କରିପାରେ, ସେ ତାହା ଦେବାକୁ ପ୍ରସ୍ତୁତ; କିନ୍ତୁ ସଂଗ୍ରାହକ ଅତି ଦୁର୍ଲ୍ଲଭ । ଜ୍ଞାନୀ ସ୍ୱ-ଗୁଣପ୍ରକାଶରେ ଯେପରି ସଙ୍କୁଚିତ ହୁଅନ୍ତି, ପରପ୍ରଶଂସାରେ ସେହିପରି ପ୍ରଫୁଲ୍ଲ ହୁଅନ୍ତି । ତାଙ୍କର ଚକ୍ଷୁ ଅବିକୃତ ଜ୍ଞାନାଞ୍ଜନରେ ପରିଷ୍କୃତ । ସେ ଗୋଟିଏ ପୁଷ୍ପର ସୌନ୍ଦର୍ଯ୍ୟ ଓ ସୌରଭରେ ଯେପରି ସଂପ୍ରୀତ ହୁଅନ୍ତି, ଜଣେ ରତ୍ନାଳଙ୍କାରମଣ୍ଡିତ ଅତର-ସୁବାସିତ ରାଜାଙ୍କର ସୌନ୍ଦର୍ଯ୍ୟରେ ତହିଁର ଶତାଂଶ ପ୍ରୀତିଲାଭ କରିପାରନ୍ତି ନାହିଁ । ଅଥୈକ ଦୃକ୍‌ପଦୈକ ଦୃକ୍‌ସ୍ୱାର୍ଥପର ସଂସାରକୁ ସେ ବଡ଼ ବିଷମବୋଧ କରନ୍ତି-

 

ଅଶିକ୍ଷିତ ବ୍ୟକ୍ତି ପଶୁତୁଲ୍ୟ ନିକୃଷ୍ଟ କାର୍ଯ୍ୟରେ, ନିକୃଷ୍ଟ ସଙ୍ଗରେ, ନିକୃଷ୍ଟଭାବରେ କାଳହରଣ କରେ । ସେ ବର୍ତ୍ତମାନକାଳର ସ୍ଵଦେଶର ରୀତିନୀତି ଯୁଦ୍ଧ ଅବଗତ ହେବାକୁ ଅକ୍ଷମ । ଶାରୀରିକ ପରିଶ୍ରମ, ଭୋଜନ ଓ ନିଦ୍ରା ତାହାର ପ୍ରଧାନ କାର୍ଯ୍ୟ । ତାହାର ଦୃଷ୍ଟି ଯେତିକି ଦୂର ଯାଏ, ସେ ତାହା ଜଗତର ଶେଷସୀମା ବୋଲି ବିଚାର କରେ । ସେ ନିନ୍ଦା-ପ୍ରଶଂସାଜ୍ଞାନବର୍ଜିତ ହୋଇ ନିଜର ସୁବିଧା ଅନୁସାରେ କାର୍ଯ୍ୟ କରିବାରେ ଅକୁଣ୍ଠିତ । କୁତ୍ସିତ ଅଶ୍ଳୀଳ ଗାନ ତାହାର ପ୍ରାଣହର ସଙ୍ଗୀତ । ଗ୍ରାମ୍ୟ ଗୀତାବଳୀ ତାହାର ପ୍ରଧାନ ସାହିତ୍ୟ । ଅତି ଜଘନ୍ୟ ବେଶ୍ୟାନୃତ୍ୟାଦି ତାହାର ପ୍ରଧାନ ଦର୍ଶନୀୟ, ଦ୍ୟୂତକ୍ରୀଡ଼ା ପ୍ରଧାନ ଆମୋଦ । ତାହାର ହୃଦୟ ଅରଣ୍ୟ ତୁଲ୍ୟ ଦୁର୍ଗମ, କାମକ୍ରୋଧାଦି ଶ୍ୱାପଦସଙ୍କୁଳ । ତାହାର ଚକ୍ଷୁ ଚିରବିକୃତ । ସେହି ଚକ୍ଷୁରେ ହୀରା ଜିରା ସମାନ ପ୍ରତୀୟମାନ ହୁଏ ।

 

ଶିକ୍ଷାଭିମାନୀ ସତ୍‌ସଙ୍ଗ ଓ ସତ୍‌କାର୍ଯ୍ୟର ଛଳମାତ୍ର କରି, ଅସତ୍ ସଙ୍ଗ ଓ ଅସତ୍ କାର୍ଯ୍ୟରେ ଆସକ୍ତ ଥାଇ ଜୀବିକା ନିର୍ବାହ କରେ । ବିଷ୍ଣୁନାମ ଜପଛଳରେ କୂଟ ମନ୍ତ୍ରଣା କରେ । ଦୁଇ-ଚାରିଟା ଶ୍ଳୋକ କଣ୍ଠସ୍ଥ କରି ଖଣ୍ଡିଏ ବୃହଦାକାର ପୁସ୍ତକ ଧରି ଜଗତକୁ ପ୍ରତାରଣା କରିବା ତାହାର ଜୀବନବ୍ରତ । ତିନଚାରିଟା ଦୁର୍ବୋଧ୍ୟ ଶ୍ଳୋକରେ ସେ ଜଗଜ୍ଜୟ କରିବାକୁ ବସିଥାଏ । ଧନୀମାନଙ୍କର ଅଯଥା ପ୍ରଶଂସାଗାନରେ ସେ ଚିରାଭ୍ୟସ୍ତ । ସେ ପରପ୍ରଶଂସାରେ ଯେପରି କ୍ଷୁବ୍‌ଧ, ନିଜ ପ୍ରଶଂସାରେ ସେପରି ପ୍ରଫୁଲ୍ଲ ହୋଇଥାଏ । ଅନ୍ୟଦ୍ୱାରା ପ୍ରଶଂସିତ ହେବାକୁ ଅପେକ୍ଷା ନ କରି ନିଜେ ନିଜର ପ୍ରଶଂସା କରି ସଖୀ ହେଉଥାଏ; ଅନ୍ୟକୁ ନାନା ଧର୍ମପଥ ଦେଖାଇ ନିଜେ ଘୋର ପାପାଚରଣରେ ପ୍ରବୃତ୍ତ ଥାଏ । ତାହାର ହୃଦୟ ମିଥ୍ୟା, କପଟତା, କୁଟିଳତାଦି ରାକ୍ଷସଗଣର ପ୍ରିୟ ନିବାସ । ତାହା ମତରେ ତାହାରି ଗୃହରେ ଜଗତର ଦୁର୍ଲ୍ଲଭ ଗ୍ରନ୍ଥ ସୁରକ୍ଷିତ, ତ୍ରିକାଳଘଟନାବଳୀ ତାହାର କରପଦ୍ମରେ, ତାହାର ପିତା ପୃଥବୀର ଅଦ୍ୱିତୀୟ ପଣ୍ଡିତ, ତାହାର ପିତାମହର କଣ୍ଠରେ ସରସ୍ୱତୀ ନୃତ୍ୟ କରୁଥିଲେ । ଆଉ ଏକ ଶ୍ରେଣୀର ଶିକ୍ଷାଭିମାନୀଙ୍କ ମତରେ କୌଣସି ପ୍ରକାର ବିଦ୍ୟାଳୟର ସାର୍ଟିଫିକେଟ ଖଣ୍ଡିଏ ପାଇପାରିଲେ ଶିକ୍ଷା ଶେଷ, ପରିଚ୍ଛଦାଡ଼ମ୍ବର ଶିକ୍ଷାର ନିଦର୍ଶନ, ତିନି-ଚାରି ଭାଷାର ମିଶ୍ରଣରେ କଥା କହିବା, ମଦ୍ୟ-ମାଂସାଦିଯୁକ୍ତ ସାହେବୀ ଭୋଜି ପ୍ରଧାନ ସଭ୍ୟତା । ଏମାନେ ଆପଣାକୁ ଜଗତ୍ ଅପେକ୍ଷା ମୂଲ୍ୟବାନ୍ ବୋଧ କରନ୍ତି, ନିମେଷ ମଧ୍ୟରେ ସର୍ବସଂସାର ଗ୍ରାସ କରିବାକୁ ସାହସ କରିଥାନ୍ତି । ଏମାନଙ୍କ ହୃଦୟ ଖର୍ଜୁର ପାଦପ ତୁଲ୍ୟ ପ୍ରାଶସ୍ତ୍ୟହୀନ ଉଚ୍ଚ, ଆପାଦମସ୍ତକ ବିଷମ, ଜ୍ଞାନ ଖର୍ଜୁରଫଳ ତୁଲ୍ୟ ବାହ୍ୟଭାଗ ସୁନ୍ଦର, ଅଭ୍ୟନ୍ତର ପାଷାଣବତ୍ କଠିନ । ସ୍ଵାର୍ଥସାଧନ ଏମାନଙ୍କର ପ୍ରଧାନ ଦୀକ୍ଷା–ସ୍ଵାର୍ଥସାଧନ ବନ୍ଧୁତାର ଉଦ୍ଦେଶ୍ୟ ।

 

ଶିକ୍ଷାଗୌରବ କେବଳ ଜ୍ଞାନୀର ଅନୁଭବନୀୟ । ତାହା ଅଶିକ୍ଷିତ ଓ ଶିକ୍ଷାଭିମାନୀର ଅନୁଭବବର୍ତ୍ମରେ ଆବିର୍ଭୂତ ହେବାର ବସ୍ତୁ ନୁହେ । ଜ୍ଞାନୀ ସାମାନ୍ୟ ଦରିଦ୍ରଠାରୁ ଅତୁଳ ଐଶ୍ୱର୍ଯ୍ୟଶାଳୀ ସମ୍ରାଟ୍ ପର୍ଯ୍ୟନ୍ତ ସମସ୍ତଙ୍କର ବିଷୟ ସମାଲୋଚନା କରିବାକୁ କ୍ଷମ । ପ୍ରକୃତିଦେବୀ ସମାଲୋଚିତ ହେବା ନିମନ୍ତେ ଜ୍ଞାନୀ ସମକ୍ଷରେ ଆପଣାର ବିଚିତ୍ର ଲୀଳା ଓ ପରମ ସୌନ୍ଦର୍ଯ୍ୟ ପ୍ରକାଶ କରୁଥାନ୍ତି । ଅଶିକ୍ଷିତ ବ୍ୟକ୍ତି ତାହା ଦେଖି ସୁଦ୍ଧା ଦେଖିପାରେ ନାହିଁ । ଶିକ୍ଷାଭିମାନୀ ତହିଁର ଛାୟା ସୁଦ୍ଧା ଦେଖିବାକୁ ଅସମର୍ଥ ।

Image

 

ଏହା କି ପୃଥିବୀର ଶବ୍ଦ ?

(୧୯୦୦) (ଜୁଲାଇ, ୧୯୦୦, ଉତ୍କଳ ସାହିତ୍ୟ)

 

ବାୟୁପୂର୍ଣ୍ଣ ଶୂନ୍ୟପଥରେ କୌଣସି ପଦାର୍ଥର ବ୍ୟଗ୍ରଗତି ହେଲେ ତହିଁର ଗୋଟିଏ ଶବ୍ଦ ହୁଏ । ଗୋଟିଏ ପକ୍ଷୀ ବ୍ୟଗ୍ରଗତିରେ ଉଡ଼ିଲେ, ଖଣ୍ଡିଏ ଲୋଷ୍ଟ୍ର ସବଳେ ନିକ୍ଷିପ୍ତ ହେଲେ, ତହିଁର ଗୋଟିଏ ଶବ୍ଦ ହୁଏ । ଚଳିତ ବା ଚାଳିତ ପଦାର୍ଥ ଯେତେ ବଡ଼ ଥାଏ, ତହିଁର ଶବ୍ଦ ତେତେ ଅଧିକ ହୁଏ । ୨୫୦୦୦ ମାଇଲ ପରିଧିବିଶିଷ୍ଟ ପ୍ରକାଣ୍ଡ ପୃଥିବୀ ଯେ ପ୍ରବଳ ବେଗରେ ଅନନ୍ତ ଆକାଶମାର୍ଗରେ ନିୟତ ଗମନ କରୁଅଛି, ତହିଁର ଶବ୍ଦ କାହିଁ ? ଏଥି ଉତ୍ତରରେ ଏ କଥା କୁହାଯାଇପାରେ ଯେ, ସମସ୍ତ ଗଗନ ବାୟୁପୂର୍ଣ୍ଣ ନୁହେ; କେବଳ ପୃଥିବୀର ପୃଷ୍ଠରେ କେତେକ ଦୂର ବାୟୁ ଅଛି । ବାୟୁହୀନ ଅନନ୍ତ ବର୍ତ୍ମରେ ପୃଥିବୀର ଗତି ହେଉଥିବାରୁ କୌଣସି ଶବ୍ଦ ହୁଏ ନାହିଁ । ଏଥିରେ ମାନସ ପରିତୃପ୍ତ ହୁଏ ନାହିଁ । ପୁନଶ୍ଚ ପ୍ରଶ୍ନ କରିବାକୁ ହୁଏ କି, ପୃଥିବୀପୃଷ୍ଠସ୍ଥ ଗଭୀର ବାୟୁସାଗର କି ସେହି ପ୍ରକାଣ୍ଡ ବସ୍ତୁର ଅତ୍ୟନ୍ତ ତୀବ୍ରଗତିର କିଛି ମାତ୍ର ଶବ୍ଦ ଜାତ କରିବାକୁ ଯୋଗ୍ୟ ନୁହେ ? ଯଦି ପୃଥିବୀର ସେପରି ଶବ୍ଦ ହେଉଥାନ୍ତା, ତାହା କି ଆମ୍ଭେମାନେ ଶୁଣିପାରନ୍ତୁ ନାହିଁ ?

 

କୌଣସି ନିର୍ଜନ ନିସ୍ତବ୍‌ଧ ସ୍ଥାନରେ ଅବା ଜୀବକୋଳାହଳଶୂନ୍ୟ ପ୍ରାନ୍ତରରେ ଏବଂ ସର୍ବଦା ସର୍ବସ୍ଥାନରେ ନିଶୀଥ ସମୟରେ ଯେ ଏକ ନିରବଚ୍ଛିନ୍ନ ‘ସାଇଁ ସାଇଁ’ ଶବ୍ଦ ଶ୍ରୁତିପଥରେ ପ୍ରବେଶ କରେ, ସେ ଶବ୍ଦ କାହାର ? ସ୍ଥିରଭାବରେ ଚିନ୍ତା କରି ଦେଖିଲେ ବୋଧହୁଏ ଯେପରି କୌଣସି ପ୍ରକାଣ୍ଡ ବସ୍ତୁ ଅବିଶ୍ରାନ୍ତ ଚାଲୁଅଛି । ତାହା ପୃଥିବୀର ଶବ୍ଦ ଅନୁମାନ କରି ସଂଶୟହୀନ ଉତ୍ତର ପାଇବା ଆଶାରେ ଏ ବିଷୟରେ ଥରେ ଜଣେ ବିଜ୍ଞ ବନ୍ଧୁଙ୍କୁ ପ୍ରଶ୍ନ କରିଥିଲି । ବନ୍ଧୁବରଙ୍କ ଉତ୍ତରରୁ ଜଣାଗଲା ଯେ, କୌଣସି କୌଣସି ବ୍ୟକ୍ତି ତାହା ପୃଥିବୀର ଶବ୍ଦ ଥିବାର ଅନୁମାନ କରିଥାନ୍ତି; କିନ୍ତୁ ତାହା ମୀମାଂସା ନୁହେ, ଅନୁମାନ ମାତ୍ର । ବିଜ୍ଞ ପାଠକଗଣ, ଅନୁମାନ ବହୁ ହୃଦୟଗାମୀ ହେଲେ ମୀମାଂସାତୁଲ୍ୟ ହୋଇଯାଏ । ଅତଏବ ପଚାରେଁ, ଏହା କି ପୃଥିବୀର ଶବ୍ଦ ?

Image

 

ଚୁଗୁଲିଆ

(୧୯୦୪) (୦୨.୦୪.୧୯୦୪, ସମ୍ବଲପୁର ହିତୈଷିଣୀ)

 

ଗୋବିନ୍ଦ

ଭାଇ ହରି, ଆଜି ରାମର ମାତା କାନ୍ଦି କାନ୍ଦି କହୁଥିଲା କି ଚୁଗୁଲିଆମାନଙ୍କ ପାଇଁ ରାମର ସର୍ବନାଶ ହୋଇଅଛି । ଭାଇ, ଚୁଗୁଲିଆ କାହାକୁ କହନ୍ତି, ମୁଁ ଜାଣିପାରିଲି ନାହିଁ । ଆଉ ସେ ଅବା ରାମର ସର୍ବନାଶ କଲେ କିପରି ? ରାମ ତ ଜଣେ ସଚ୍ଚରିତ୍ର ପ୍ରବୀଣ ଲୋକ ଅଟେ ।

ହରି

କିରେ ଗୋବିନ୍ଦ, ତୁ କି ଆଜିଯାଏ ଚୁଗୁଲିଆ ଦେଖିନାହୁଁ ? ସେ ଅତି ଭୟଙ୍କର ଜନ୍ତୁ । ସେ ନହେଲା କଥାକୁ ହେଲା କରି ଲୋକଙ୍କର ସର୍ବନାଶ କରେ ।

ଗୋବିନ୍ଦ

ଭାଇ, ସେ କିପରି ଜନ୍ତୁ, କେଉଁଠାରେ ଥାଏ, ଆଉ କେଉଁ ସମୟରେ କିପରି ଲୋକଙ୍କର ସର୍ବନାଶ କରେ ? ଆଉ ନହେଲା କଥାକୁ ହେଲା କରେ କିପରି ? ସେ କି ବିଧାତା ?

ହରି

ଦୂର୍ ମୂର୍ଖ, ବିଧାତା କି ନହେଲା କଥାକୁ ହେଲା କରନ୍ତି ? ଯାହା ଅବଶ୍ୟ ହେବାର ତାହା ବିଧାତା କରନ୍ତି, ନହେବା କଥା ବିଧାତା କରନ୍ତି ନାହିଁ ।

ଗୋବିନ୍ଦ

ତେବେ ଚୁଗୁଲିଆ କି ବିଧାତାଠାରୁ ବଡ଼ ?

ହରି

ହାଃ ହାଃ ହାଃ, ତୋ’ପାଇଁ ଆଉ ରହିହେବ ନାହିଁ ? ଯେ କୁକୁର ଶୂକରଠାରୁ ହୀନ, ତାକୁ ତୁ ବିଧାତାଠାରୁ ବଡ଼ କରି ବସିଅଛୁ ?

ଗୋବିନ୍ଦ

ତେବେ କ’ଣ ବିଷ୍ଠାର କୃମି ପରି ଥିବ ?

ହରି

ଛି, ଛି, ସେ ଭିନ୍ନ ରକମ ଜନ୍ତୁ । ବିଧାତାଙ୍କ ସୃଷ୍ଟିରେ ଯେତେ ପଦାର୍ଥ ଅଛି ତହିଁରୁ କିଛି ନା କିଛି ଉପକାର ହୁଏ; କିନ୍ତୁ ଚୁଗୁଲିଆ ଦ୍ଵାରା କିଛି ଲାଭ ହୁଏ ନାହିଁ । ଚୁଗୁଲିଆ କେବଳ ଅନିଷ୍ଟର କାରଣ ଅଟେ।

ଗୋବିନ୍ଦ

ତେବେ ସର୍ପ କି ?

ହରି

ସର୍ପର ବିଷ କି ଔଷଧିରେ ଲାଗେନାହିଁ ?

ଗୋବିନ୍ଦ

ତେବେ କ’ଣ, ମୋତେ କହନା ! ମୁଁ ଚିହ୍ନିଥିଲେ ସେ ମୋ ପାଖକୁ ଆସିଲେ ମାରିପକାଇବି ।

ହରି

ମଲା, ସେ ତୋ’ ପାଖକୁ କାହିଁକି ଆସିବ ?

ଗୋବିନ୍ଦ

ତେବେ କାହା ପାଖକୁ ଯାଏ ?

ହରି

ସେ ତାହାଠାରୁ ହୀନବୁଦ୍ଧି ଲୋକଙ୍କର ନିକଟକୁ ଯାଏ ।

ଗୋବିନ୍ଦ

ଭାଇ, ମୋ’ଠାରୁ ବଳି ହୀନବୁଦ୍ଧି ଲୋକ କି ଅଛନ୍ତି ?

ହରି

ଅଛନ୍ତି ନା କ’ଣ

ଗୋବିନ୍ଦ

ଭାଇ, ସେ କିଏ ?

ହରି

ଯେଉଁମାନେ ଆପଣାକୁ ବଡ଼ ବୋଲି ମଣନ୍ତି, ସେମାନେ ।

ଗୋବିନ୍ଦ

ରାଜା, ବାବୁ, ଜମିଦାର, ଧନୀ ଇତ୍ୟାଦି ବଡ଼ଲୋକମାନେ ତ ଆପଣାକୁ ବଡ଼ ବୋଲନ୍ତି । ବାସ୍ତବରେ ତ ସେମାନେ ବଡ଼ ବଡ଼ ଲୋକ ହୋଇ ଆପଣଙ୍କୁ ବଡ଼ ମଣିଲେ ତ ଦୋଷ କ’ଣ ହେଲା ? ସେମାନେ ହୀନବୁଦ୍ଧି କିପରି ହେଲେ ? ଆମ୍ଭେମାନେ ତ ତାଙ୍କର ଆଶ୍ରା ନ କଲେ ଚଳିପାରିବୁ ନାହିଁ । ସେମାନେ ଆମ୍ଭଠାରୁ ହୀନବୁଦ୍ଧି ହେଲେ କିପରି ?

ହରି

ସେମାନେ ଧନମଦରେ ଓ ପଦମଦରେ ନିମଗ୍ନ ହୋଇଯାଇଛନ୍ତି । ଜଳମଗ୍ନ ବ୍ୟକ୍ତିକୁ ବାହାରର ପଦାର୍ଥ କିଛି ଦିଶିବା ଦୂରେଥାଉ, ଜଳ ମଧ୍ୟର ପଦାର୍ଥ ମଧ୍ୟ କିଛି ଦିଶଇ ନାହିଁ । ସେହିପରି ମଦନିମଗ୍ନ ବ୍ୟକ୍ତି ସଂସାରର କିଛି ଦେଖି ନ ପାରି ଆପଣାକୁ ବଡ଼ ବିଚାର କରେ ।

ଗୋବିନ୍ଦ

ସେ ତାଙ୍କର ଧନମଦରେ ହେଉ କି ପଦମଦରେ ହେଉ, ବୁଡ଼ିଲେ ତହିଁରେ ଅନ୍ୟର କ୍ଷତି ହେବ କିପରି ?

ହରି

ଭାଇ, ସଂସାରରେ ଧନୀ କେହି ନୁହନ୍ତି । ଧନୀ ବୋଲ, କ୍ଷମତାଶାଳୀ ବୋଲ, ସବୁ ଏକମାତ୍ର ପରମେଶ୍ୱର । ତେବେ ସେ ସର୍ବସାଧାରଣ ଉପକାର ନିମନ୍ତେ କୌଣସି କୌଣସି ବ୍ୟକ୍ତିଠାରେ କିଛି କିଛି ଧନ ରଖାଇଥାନ୍ତି ଆଉ ଦୁଷ୍ଟମାନଙ୍କ ଶାସନ ନିମନ୍ତେ ଜଣ-ଜଣକୁ କ୍ଷମତାଶାଳୀ କରିଥାନ୍ତି । ଦେଖ, ମନୁଷ୍ୟ ଯେତିକି ଖାଇବ ତେତିକି ତାର; ଅନ୍ୟ ପଦାର୍ଥ ତାହାର ନୁହେଁ । ପୁଣି ପରିଶ୍ରମ ନ କରି ଖାଇଲେ ଈଶ୍ୱରଙ୍କ ସମୀପରେ ଅଜୀର୍ଣ୍ଣାଦି ରୋଗଦ୍ୱାରା ଦଣ୍ଡ ଭୋଗ କରିବାକୁ ପଡ଼େ । ଈଶ୍ଵରଙ୍କ ଆଜ୍ଞା ଯେ, ପରିଶ୍ରମ କର ଓ ଭୋଜନ କର ।

ଗୋବିନ୍ଦ

ବାକୀ ପଦାର୍ଥ କ’ଣ କରାଯିବ ?

ହରି

ଜଗତର ହିତ ନିମନ୍ତେ କାର୍ଯ୍ୟ କରାଇ ଭୋଜନ ନିମନ୍ତେ ସେହି କାର୍ଯ୍ୟକାରୀ ଲୋକଙ୍କୁ ଦିଆଯିବା ଉଚିତ ।

ଗୋବିନ୍ଦ

ସେ ସବୁ ଭିନ୍ନ କଥା । ଧନୀମାନେ ହୀନବୁଦ୍ଧି ହେଲେ କିପରି ?

ହରି

ସେମାନେ ମଦାନ୍ଧ ହୋଇ ଈଶ୍ଵରଙ୍କ ରଖିଥିବା ପଦାର୍ଥକୁ ଆପଣାର ଧନ ମନେ କରି ଯଥେଚ୍ଛା ବ୍ୟୟ କରନ୍ତି । ଯହିଁରେ ଜଗତର ଅନିଷ୍ଟ ହେବ, ଏପରି କାର୍ଯ୍ୟମାନ କରନ୍ତି ।

ଗୋବିନ୍ଦ

ଚୁଗୁଲିଆ ତାଙ୍କର କ’ଣ କରନ୍ତି ?

ହରି

ଚୁଗୁଲିଆମାନେ ସେମାନଙ୍କ ନିକଟକୁ ଯାଇ ସଚ୍ଚରିତ୍ର ସାଧୁ ଲୋକର ନିନ୍ଦା କରନ୍ତି । ସାଧୁ ସତ୍‌କାର୍ଯ୍ୟର ପୁରସ୍କାର ସ୍ୱରୂପ କିଛି ପାଇବାର ଉପଯୁକ୍ତ ଥିଲେ, ତାହା ନାନାପ୍ରକାରେ ଭାଙ୍ଗିଦିଅନ୍ତି । ଧନୀମାନେ ସେହି ଚୁଗୁଲିଆମାନଙ୍କ କଥାରେ ପଡ଼ନ୍ତି । ଏଣୁକରି କହୁଅଛୁଁ ଯେ ଧନୀମାନେ ମଦାନ୍ଧ; ଚୁଗୁଲିଆ ତାଙ୍କ କଟୁଆଳ ହୋଇ ସଂସାରପଥରେ ଚଳାଇନିଏ । ଏବେ କହ, ଅନ୍ଧ ଶ୍ରେଷ୍ଠ କି କଟୁଆଳ ଶ୍ରେଷ୍ଠ ?

ଗୋବିନ୍ଦ

ଭାଇ ବୁଝିଲି, କେହି ଶ୍ରେଷ୍ଠ ନୁହନ୍ତି । ବାସ୍ତବରେ ଚୁଗୁଲିଆ ହୀନ; ଯେ ଚୁଗୁଲି କଥା ଗ୍ରହଣ କରେ ସେ ହୀନତର ।

ହରି

ଏତିକିରେ ଚୁଗୁଲିଆମାନଙ୍କ କଥା ଶେଷ ହେଲା କି ?

ଗୋବିନ୍ଦ

ତେବେ ଆଉ କ’ଣ ଅଛି ?

ହରି

ଚୁଗୁଲିଆମାନେ କୌଣସି କୌଣସି ନିରୀହ ବ୍ୟକ୍ତିଙ୍କୁ କ୍ଷମତାଶାଳୀ ଲୋକଙ୍କ ନିକଟରେ ଅତି ଅନିଷ୍ଟକାରୀ, ନିନ୍ଦୁକ, ବିଦ୍ୱେଷୀ ବୋଲି ପ୍ରତିପନ୍ନ କରାଇ ତାହାର ସର୍ବନାଶ କରିଥାନ୍ତି । କ୍ଷମତାଶାଳୀ ଲୋକ ଈଶ୍ୱରଦତ୍ତ କ୍ଷମତାକୁ ସଂସାରର ହିତକାର୍ଯ୍ୟରେ ବ୍ୟବହାର୍ଯ୍ୟ ବୋଲି ନ ଭାବି ମଦାନ୍ଧ ହୋଇ ଅକାରଣରେ କ୍ଷମତାର ଅପବ୍ୟବହାର କରି ସେହି ନିରୀହ ବ୍ୟକ୍ତିର ସର୍ବନାଶ କରିଥାନ୍ତି ।

ଗୋବିନ୍ଦ

ଠିକ୍ ଠିକ୍ ଠିକ୍, ରାମ ଉପରେ ଆଜି ସେହି ଦଶା ପଡ଼ିଥିବ । ଏଣୁ ତା’ର ମା’ କାନ୍ଦୁଅଛି ।

Image

 

ଉପସଂହାର

ବିକ୍ରମ ସିଂହ ବରପାଲି ଇଲାକାକୁ ଆପଣାର ପିତା ସମ୍ବଲପୁରର ରାଜା ବଳିଆର ସିଂହଙ୍କଠାର ଭରଣପୋଷଣ ନିମନ୍ତେ ପାଇଥିଲେ । ତାଙ୍କର ବଂଶଧରମାନେ ସମ୍ବଲପୁରର ପରବର୍ତ୍ତୀ ରାଜାମାନଙ୍କଠାରୁ ନିଜର ଭରଣପୋଷଣର ଅପ୍ରତୁଳତା ପୂରଣ ନିମନ୍ତେ ନାନାପ୍ରକାର ସାହାଯ୍ୟ ମଧ୍ୟ ପାଉଥିଲେ । ସମ୍ପ୍ରତି ବରପାଲିର ଆୟର ପ୍ରାୟ ତୃତୀୟାଂଶ ନାନାପ୍ରକାରରେ ଗଭର୍ଣ୍ଣମେଣ୍ଟ ନେଉଅଛନ୍ତି । ଅବଶିଷ୍ଟ ଅର୍ଥରେ ବରପାଲିର ଅଧୀଶ୍ୱରଙ୍କର ନିର୍ବାହ ହେବା କଥା । ତହିଁରେ ନୃପରାଜ ସିଂହ ମର୍ଯ୍ୟାଦାନୁରୂପ କାର୍ଯ୍ୟ କରି ଚଳିପାରିବା କଷ୍ଟ । ତଥାଚ ସେ ଔଦାର୍ଯ୍ୟର ବଶବର୍ତ୍ତୀ ହୋଇ ସ୍ଵକୀୟ ବ୍ୟୟସଂକୋଚଦ୍ୱାରା ଦେଶହିତକର କାର୍ଯ୍ୟରେ ଅଜସ୍ର ଅର୍ଥ ବ୍ୟୟ କରୁଅଛନ୍ତି ଏବଂ ତାହାଙ୍କର ବଂଶବ୍ୟାପିନୀ ରାଜଭକ୍ତିକୁ ପରିପୁଷ୍ଟ କରିଅଛନ୍ତି । ତହିଁର ପୁରସ୍କାର ସ୍ୱରୂପ ‘‘ରାୟ ବାହାଦୁର” ଉପାଧି ଦ୍ୱାରା ସମ୍ମାନିତ ହୋଇଅଛନ୍ତି । ତାହାଙ୍କର ସଦିଚ୍ଛା ସବୁ କାର୍ଯ୍ୟରେ ପରିଣତ ହୋଇପାରିଲେ ତାହାଙ୍କର ସମ୍ମାନ ନିଃସଂଶୟ ଅଧିକତର ବର୍ଦ୍ଧିତ ହେବ । କିନ୍ତୁ ତେତିକିରେ ତାହାଙ୍କର ଔଦାର୍ଯ୍ୟପୂର୍ଣ୍ଣ ସତ୍‌କାର୍ଯ୍ୟର ଫଳ ଶେଷ ହେବ ନାହିଁ । ସେ ସର୍ବକର୍ମଫଳପ୍ରଦ ପରମେଶ୍ୱରଙ୍କଠାରେ ଅବଶ୍ୟ ଅମୂଲ୍ୟ ଅତୁଲ୍ୟ ଫଳଲାଭ କରି କୃତକୃତ୍ୟ ହେବେ ।

ସେ ପୁତ୍ରପୌତ୍ରାଦି ସହିତ ସୁଖ-ସ୍ଵାସ୍ଥ୍ୟ ଘେନି ଚିରଜୀବୀ ହେଉନ୍ତୁ ଏବଂ ତାହାଙ୍କର ପରବର୍ତ୍ତୀ ଜୀବନ ପରୋପକାରସାଧନରେ ନିଯୁକ୍ତ ଥାଉ । ତାଙ୍କର ସୁକାର୍ଯ୍ୟଦ୍ୱାରା ନ୍ୟାୟର ଗୌରବ ରକ୍ଷିତ ହେଉ ଜଗଦୀଶ୍ୱରଙ୍କଠାରେ ଏହାହିଁ ଅନ୍ତିମ ପ୍ରାର୍ଥନା ।

Image

 

କିଂବଦନ୍ତୀ

(୧୯୧୦)

 

ସମ୍ବଲପୁରର ୧୪ ମାଇଲ ଦକ୍ଷିଣରେ ମହାନଦୀ କୂଳରେ ‘ହୁମା’ ଗ୍ରାମ ଅଛି । ଏହି ଗ୍ରାମ ବସତି ହେବାର ପୂର୍ବେ ଏ ସ୍ଥାନ ଅରଣ୍ୟମୟ ଥିଲା । ସେଠାରେ ମହାନଦୀର ପଶ୍ଚିମ ତଟରେ ଜଣେ ବ୍ରାହ୍ମଣଙ୍କର ଅନେକଗୁଡ଼ିଏ ଗାଈ ଥିଲେ । ସେ ସବୁ ଗାଈ ଚରାଇବା ନିମନ୍ତେ ଜଣେ ଗଉଡ଼ ନିଯୁକ୍ତ ଥିଲା । ଗଉଡ଼ ପ୍ରତିଦିନ ଗାଈ ସବୁ ନେଇ ବନରେ ଚରାଇ ସନ୍ଧ୍ୟା ସମୟରେ ବ୍ରାହ୍ମଣଙ୍କର ଗୁହାଳକୁ ଆଣିଦିଏ । ବ୍ରାହ୍ମଣ ସକାଳ ସଞ୍ଜ ଦୁଇ ଓଳି ଦୁହାଁ ଗାଈମାନଙ୍କୁ ଦୋହନ୍ତି । ଦେଖିଲେ ଯେ ତହିଁ ମଧ୍ୟରୁ ଗୋଟିଏ ଗାଈ ସକାଳ ଓଳି ଯେ ପରିମାଣରେ ଦୁଧ ଦିଏ, ସଞ୍ଜରେ ଅନ୍ୟାନ୍ୟ ଗାଈର ତୁଳନାରେ ବହୁତ ଅଳ୍ପ ଦୁଧ ଦିଏ । ବ୍ରାହ୍ମଣ ତହିଁର କାରଣ ଗଉଡ଼କୁ ପଚାରିଲେ, ଗଉଡ଼ ତାହା ଅଜ୍ଞାତ ଥିବାର ପ୍ରକାଶ କରେ । ଏପରି ବାରମ୍ବାର ଘଟିବାରୁ ଗଉଡ଼ ତହିଁର ସନ୍ଧାନରେ ରହିଲା ଆଉ ଜାଣିଲା ଯେ ସେହି ଗାଈ ପ୍ରତ୍ୟହ ଚରିବା ସମୟରେ ଚରିବା ଛାଡ଼ି ମହାନଦୀର ପୂର୍ବ କୂଳକୁ ଯାଇ ପୁଣି ଲେଉଟି ଆସେ । ୫/୭ ଦିନ ଏହିପରି ଦେଖି ଏକଦିନ ଗଉଡ଼ ସେହି ଗାଈର ପଛେ ପଛେ ମହାନଦୀର ପୂର୍ବକୂଳକୁ ଯାଇ ଦେଖିଲା ଯେ ଗାଈ ଗୋଟିଏ ବୁଦାକୁ ଯାଇ କିଛି କ୍ଷଣ ଠିଆହୋଇ ଲେଉଟି ଆସିଲା । ଗଉଡ଼ ସେହି ବୁଦା ନିକଟକୁ ଯାଇ ଦେଖିଲା ଯେ ବୁଦା ମଧ୍ୟରେ ଥିବା ପଥରରେ ଦୁଧ ପଡ଼ିଥାଏ । ସେଦିନ ସନ୍ଧ୍ୟା ସମୟରେ ଗଉଡ଼ ଆସି ବ୍ରାହ୍ମଣଙ୍କ ନିକଟରେ ସେସବୁ କଥା ବ୍ୟକ୍ତ କରିବାରୁ ବ୍ରାହ୍ମଣ ଅନ୍ୟ ଦିନ ସେହି ଗାଈର ସଙ୍ଗେ ସଙ୍ଗେ ସେସ୍ଥାନକୁ ଯାଇ ଗଉଡ଼ କହିଥିବାର କଥା ସତ୍ୟ ଥିବାର ଦେଖିଲେ ଏବଂ ଯେଉଁ ପଥର ଉପରେ ଦୁଧ ପଡ଼ିଥିଲା ତାହା ଲିଙ୍ଗାକାର ଥିବାର ଦେଖି ଗୃହକୁ ଆସି ମନେ ମନେ ନାନା ପ୍ରକାର ଆଲୋଚନା କରିବାକୁ ଲାଗିଲେ । ରାତ୍ରିରେ ସ୍ୱପ୍ନରେ ଅବଗତ ହେଲେ ଦୁଗ୍ଧାଭିଷିକ୍ତ ପାଷାଣ ସ୍ୱୟଂଭୂ ଶମ୍ଭୁଲିଙ୍ଗ ଅଟନ୍ତି । ତଦ୍ଦିନାବଧି ସେହି ବ୍ରାହ୍ମଣ ସେହି ଶମ୍ଭୁ ଲିଙ୍ଗର ଆରାଧନା କରିବାକୁ ଲାଗିଲେ । କ୍ରମେ କ୍ରମେ ଅନ୍ୟାନ୍ୟ ଲୋକେ ମଧ୍ୟ ସେ ଶମ୍ଭୁଙ୍କର ଆରାଧନା କରି ସିଦ୍ଧକାମ ହେବାକୁ ଲାଗିଲେ । ସମ୍ବଲପୁର ମହାରାଜ ସେହି ବିଷୟ ଅବଗତ ହୋଇ ସେହି ମହାଦେବଙ୍କର ଭୋଗାଦିର ଯଥାଯୋଗ୍ୟ ବନ୍ଦୋବସ୍ତ କରି ଦେଇଅଛନ୍ତି । ସେହି ବ୍ରାହ୍ମଣଙ୍କର ବଂଶଧରମାନେ ଅଦ୍ୟାବଧି ବିଦ୍ୟମାନ ଅଛନ୍ତି ଏବଂ ମନ୍ଦିରର କର୍ତ୍ତୃତ୍ୱ ଭାର ସେମାନଙ୍କ ଉପରେ ରହିଅଛି । ମହାଦେବ ‘ବିମଳେଶ୍ଵର' ନାମରେ ଏ ଜିଲ୍ଲାରେ ସୁପ୍ରସିଦ୍ଧ । ମନ୍ଦିରଟି ପ୍ରକାଣ୍ଡ ପ୍ରକାଣ୍ଡ ପାଷାଣସଙ୍କୁଳ ମହାନଦୀର ପୂର୍ବାଂଶ ବାହୀ ସ୍ରୋତର ସନ୍ନିକଟରେ । ଅବସ୍ଥିତ ଓ କିଞ୍ଚିତ୍ ବକ୍ରାକାର ଅନୁମିତ ହୁଏ । ମନ୍ଦିରକୁ ଲାଗି ହୁମା ଗ୍ରାମ ବସତି । ଏଠାରେ ପ୍ରତିବର୍ଷ ଶିବରାତ୍ରିରେ ମେଳା ହୁଏ ।

Image